Unknown

 

 

 

 

 

 

 

 

 

ଗୋସିଂହ ବଧ ବା ସୁଭଦ୍ରା ହରଣ ସୁଆଙ୍ଗ

ଗଣକବି ବୈଷ୍ଣବ ପାଣି

 

ସୂଚୀଛାନ୍ଦ

 

[ମାନକର ଦାନ ଧନ - ବୃତ୍ତେ]

 

ଶୁଣ ବୁଧେ ଶୂଦ୍ଧ ଚିତ୍ତେ ହରିବଂଶ ଚରିତ । ସୁଭଦ୍ରାର ପରିଣୟ ଶୁଣି ହର ଦୁରିତ ।ପଦ। ରଇବତ ଗିରିଶୃଙ୍ଗେ ଯଜ୍ଞ କଲେ ଅଚ୍ୟୁତ । ଯେ ପ୍ରକାରେ ହତ ହେଲା ସେ ଗୋସିଂହ ଦଇତ ।୧। ଯେଉଁପରି ରାମ ତୁଲେ ଶ୍ୟାମ କଳହ ଜାତ । ହୋଇଲା ମେହିଲା ସେ ସୁଭଦ୍ରା ଅର୍ଜୁନ-ଚିତ୍ତ ।୨। ତାହା ବିସ୍ତାରି ଲେଖିବି ଘଟିଛି ଯା ଉଚିତ । ବ୍ୟାସରଚନାରେ ଯେ କି ରହିଥିଲା ସଞ୍ଚିତ ।୩। ନ ଜାଣେ ମୁଁ କ୍ରିୟାକର୍ମ ଧର୍ମ ବାରିବଂଶତ । ବଇ ଭଣେ ମାତ୍ର ଜାଣେ କରତା ସେ ହରି ତ ।୪।

 

(ରୈବତ ଶୃଙ୍ଗେ କୃଷ୍ଣ ଓ ବଳରାମଙ୍କର ପ୍ରବେଶ, କୃଷ୍ଣଙ୍କର ଗୀତ)

[ତୁମ କଦାର କୁଲେର ବହୂ - ବୃତ୍ତେ]

 

ଶୁଣ ରେବତୀପତି ! ଦେଖି ଏ ରୈବତ ଗିରି ବଳିଛି ମତି ହେ ।ପଦ। ଯଜ୍ଞର ଏ ଯୋଗ୍ୟ ସ୍ଥାନ, କର ଭାଇ ଅନୁମାନ । ନାହିଁ ନ କରିବ ମୋର ଏହି ବିନତି ହେ ।୧। ଏ ସ୍ଥାନେ କରନ୍ତେ ଯୋଗ, ଖଣ୍ତିବ ଦୁରିତ ରୋଗ । କାଳକ ନ ଥିବ ଯଦୁକୁଳେ ବିପତ୍ତି ହେ ।୨। ପଠାଇଣ ନିମନ୍ତ୍ରଣ, ଆଣିବା କରି ବରଣ । ଦେବତା ୠଷି ବ୍ରାହ୍ମଣ କୁଟୁମ୍ବ ଜ୍ଞାତି ହେ ।୩। ଭାଷେ ବଇଷ୍ଣବ ଦ୍ୱିଜ, ଆଦେଶ ଦିଅ ଅଗ୍ରଜ ! ନ ତେଜ ମୋ ଅଳି ବଇଆ ଚିନ୍ତି ହେ ।୪।

 

ବଳରାମ

-

କୃଷ୍ଣଚନ୍ଦ୍ର ! ଦେଖ ଏହି ରୈବତ ପର୍ବତ ଶୋଭାରାଶି

 

 

ଫଳପୁଷ୍ପେ ସାଜିଛନ୍ତି ଗିରିତରୁରାଜି

 

 

ଘନଘନ ବହିଣ ପବନ ପୁଷ୍ପଗନ୍ଧ ବିଞ୍ଚୁଛନ୍ତି ପରାଗର ସହ ।

 

 

ଗିରିସ୍ଥିତ କୋକିଳ କାକଳୀ

 

 

ଶ୍ରବଣେ ସର୍ବାଙ୍ଗ ରୋମ ଉଠୁଛି ଶିହରି ।

 

 

ଗିରିଶିଖେ କେକୀକୁଳ ଉନମତ୍ତଭାବେ

 

 

କେକା ଭାଷେ ଛାଡ଼ୁଛନ୍ତି ରାବ ।

 

 

ପଲ ପଲ ମଦମତ୍ତ କରୀ ଅଦ୍ରୀ ଉପତ୍ୟକାଦେଶେ

 

 

କରଭ ସହିତ ସ୍ୱଚ୍ଛେ କ୍ରୀଡ଼ନ୍ତି ସରାଗେ ।

 

 

ଏହି ସ୍ଥାନ ଉଚିତ ଅଟଇ

 

 

ଯାଗ-ଯଜ୍ଞ ଦେବଦେବୀ ଆରାଧନା କାଇଁ ।

 

ଗୀତ

[ପ୍ରାଣସଙ୍ଗିନୀ ରେ ନେତ୍ରାନନ୍ଦ - ବୃତ୍ତେ]

 

ମୋହନ ରେ ! ମୋର ମେନୁଛି ମନ । କର ଯାଗ ଆୟୋଜନ ।ପଦ। ଗିରିଶିରୀ ଚାହିଁ ଚିତ୍ତ, କା’ର ନୋହିବ ଉସତ । ନିସ୍ତରିବେ ଦେଖି ଯାଗ ଜଗତଜନ ।୧। ଯାଦବ ରମଣିଗଣ । କଲେ ଯଜ୍ଞ ପ୍ରଦକ୍ଷିଣ । ପବିତ୍ର ହୋଇବ ତାଙ୍କ ଦେହ ଜୀବନ ।୨। ଦେଇ ଦ୍ୱାରୀକି ଆଦେଶ । ପେଶ ଉଗ୍ରସେନ ପାଶ । ଯୋଗାଇ ଦେବେ ସେ ନାନା ପଦାର୍ଥମାନ ।୩। ଶାମ୍ୱ ଗଦ ଅନିରୁଦ୍ଧ । ସାତ୍ୟକି ନେଇ ସମ୍ୱାଦ । ଯାନ୍ତୁ ଚାରିଦିଗେ ବଇଷ୍ଣବ ରଚନ ।୪।

 

 

(ଦ୍ୱାରୀର ପ୍ରବେଶ । ଦ୍ୱାରୀହସ୍ତେ ସାତ୍ୟକି ଶାମ୍ୱ ଅନିରୁଦ୍ଧ ଗଦଙ୍କୁ ଡକାଇ ଗୀତ)

[ଯାଅ ଗୋ ଉର୍ବଶୀ - ବୃତ୍ତେ]

ଯାଅ ଚାରିବୀରେ ଚାରିଦିଗକୁ ରେ । ନିମନ୍ତ୍ରଣ ଦେଇ ଆସ ଯାଗକୁ ରେ ।ପଦ। ଭାଷ ୠଷିଗଣେ, ଆବର ବ୍ରାହ୍ମଣେ । ଯିବେ ରଇବତ ଗିରିବତ ଗିରିଶୃଙ୍ଗକୁ ରେ ।୧। କହ ରାମହରି, ଅଛନ୍ତି ସେ ଗିରି । ଡେରି ନ କରିବେ କେଭେ ଆଜ୍ଞାକୁ ରେ ।୨। କାଲି ପ୍ରାତୁଁ ଯଜ୍ଞ ହୋଇବ ଆରମ୍ଭ । ଛାଡ଼ିବେ ନାହିଁ ଏମନ୍ତ ଯୋଗକୁ ରେ ।୩। ଯେତେ ରାଜବର୍ଗ, ନିମନ୍ତ୍ରବ ସର୍ବବଇ ଛନ୍ଦେ ପଦ ଚାରିଯୁଗକୁ ରେ-

ସାତ୍ୟକିର

[ଗୀତ ଆଜ୍ଞାକର ମହୀପାଳ - ବୃତ୍ତେ]

ଯାଉଛି ଚାରିଦିଗକୁ କର ହରି ଆଶୀର୍ବାଦ । ସୁମରିବୁ ଚିନ୍ତାମଣି ପଥେ ପଡ଼ନ୍ତେ ବିପଦ ।ପଦ। ମହୀପତି ମହୀସୁରେ, ଆବର ବରି ୠଷିରେ । ଘେନି ତବ ଆଜ୍ଞା ଶିରେ ଜଣାଇଦେବୁ ସମ୍ୱାଦ ।୧। ନୋହିବ ଊଣା କିଞ୍ଚିତ, ତୋ କାର୍ଯ୍ୟେ ଜାଣ ଅଚ୍ୟୁତ ! କର ଯା ଉଚିତ ପୂର୍ଣ୍ଣ ହେଉ ଆମ୍ବ ମନସାଧ ।୨। ଯା’ର ନାମେ ରାଧାନାଥ, ଦୂରେ ପଳାଏ ଦୁରିତ । ତା କାର୍ଯ୍ୟେ ଦେବ କେ ବାଧା ବଇଷ୍ଣବ ରଚେ ପଦ ।୩।

(ପ୍ରସ୍ଥାନ)

ବଳରାମ

-

ଚାଲ ହରି, ଏବେ କରିବା ଯଜ୍ଞର ଆୟୋଜନ; ଆସିଯିବେ ନିମନ୍ତ୍ରଣ ଶୁଣିଲାମାତ୍ରକେ ୠଷିଗଣେ । ତେତେବେଳେ ଅପଦସ୍ଥ ହେବା କି କାରଣେ ? ଜଣାଇବା ଉଗ୍ରସେନ ରାଜାକୁ ଏମାନ । ବିଳମ୍ୱ ନ କରି ବେଗେ ଚାଲ ରେ ମୋହନ ।

(ପ୍ରସ୍ଥାନ)

ୠଷିଗଣଙ୍କର ପ୍ରବେଶ ଗୀତ

(ସାଙ୍ଗେଲି ସୁର)

ଜୟ ଜୟ ଶ୍ରୀରାଧାମୋହନ ବାଧାବିଘ୍ନହାରି ।ପଦ। ବୃନ୍ଦାବନଚାରି ହରି କଂସକେଶୀ-ସଂହାରି । ବଂଶୀବଟବିହାରୀ ହେ ପ୍ରଭୁ ବାଳଗୋପାଳ ରୂପଧାରି ।୧। ପାପତାପ-ଧ୍ୱଂସନକାରୀ, ଜୟ ବାରିଶାୟୀ ହେ ଗିରିଧାରି । ଭବଭବାର୍ଣ୍ଣବ ତରୀ ହେ ପ୍ରଭୁ ବରହୀ ମୁକୁଟ ଶିରୋପରି ।୨। ଅଘା ବକାସୁର ଦର୍ପଚୂରି, ନମୋ ଅଘନାଶନ ଦୈତ୍ୟଅରି । ବଇଷ୍ଣବର ନାଶ ବଇରି ହେ ପ୍ରଭୁ ଜଳଧିଜେମା ତୋ ପରିବାରୀ ।୩।

ୠଷି

-

ଜୟ ଶ୍ରୀରାଧାକାନ୍ତ କି ଜୟ, ଜୟ ଶ୍ରୀରାଧାରାଣୀ କି ଜୟ, ଜୟ ଶ୍ରୀ ଯଦୁରାଜନ ଉଗ୍ରସେନ କି ଜୟ, ଜୟ ଶ୍ରୀ ୠଷିଦେବ ବାହ୍ମଣ କି ଜୟ ।

କୃଷ୍ଣ

-

ଜୟ ଋଷିବୃନ୍ଦେ ! ଚାଲ ଯଜ୍ଞଶାଳକୁ; ଯଜ୍ଞ ଆୟୋଜନ କରିବା । କ୍ରମେ ସମସ୍ତେ ଆସିଯିବେ । ଶୁଭକର୍ମରେ ଅନାବଶ୍ୟକ ।

ୠଷି

-

ଜୟ ମଧୁସୂଦନ, ଜୟ ଯଦୁନନ୍ଦନ, ଜୟ ଜନାର୍ଦ୍ଦନ, ଜୟ କଂସନିସୂଦନ, ଦେବ-ନାଗ-ନର-ମାନଉଦ୍ଧାରଣ,ପୂତନାମାରଣ ଜୟ ଜୟ ନାରାୟଣ ହରି ।

 

 

(ସମସ୍ତଙ୍କର ପ୍ରସ୍ଥାନ)

 

(ସାତ୍ୟକିର ଗୋସିଂହରାଜ୍ୟେ ପ୍ରବେଶ । ଗୋସିଂହ ଦୂତେ ଧରି ଗୀତ)

[ଜୟ ରଘୁନାଥ - ବୃତ୍ତେ]

ଦୂତେ

-

ଆରେ ଆରେ ନର, କାହିଁ ତୋର ଘର ଜେନାବତୀପୁର ଅଟେ ଏହି । ଗୋସିଂହ ଅସୁର ଏଥେ ଦଣ୍ତଧର ନ ଜାଣୁ କି ମୂଢ଼ ଚୋର ତୁହି । ମନ୍ତ୍ରୀ ଜପାସୁର । କି ହେତୁ ପଶିଲୁ ଏ ଦେଶର ।୧। ନରମାଂସ ନିତ୍ୟ ଅଟେ ଯା ଆହାର ତା ଆଗୁ କି ଫେରି ଯିବୁ ସତେ । ଦେବତା ଗନ୍ଧର୍ବ ଯକ୍ଷ ନାଗ ନରେ ଯା ନାମେ କମ୍ପନ୍ତି ଅବିରତେ । ତୋର ଆୟୁ ଶେଷ ହେଲାଣି ହେତୁ ରେ ରକ୍ଷଗ୍ରାସ ।୨।

ସାତ୍ୟକି

-

ମୋତେ ଅନୁଚରେ ରାଜାର ଆଗରେ ନେଇ ହାଜର କରାଅ ବେଗେ । ଯେବଣ କାରଣେ ଅଇଲି ମୁଁ ଏଣେ କାରଣ କହିବି ଅନୁରାଗେ । ଆଉ ବେଳ ନାହିଁ । ରାଗିବେ ତେଣେ ରୁକ୍ମିଣୀସାଇଁ ।୩।

ଦୂତ

-

ନ କହିଲେ ଖଣ୍ଟ ପଡ଼ିବ ସଂକଟ ନିକଟ ହେବ ତୋ ଯମପୁରୀ । ମଷା ମଷା ମାଂସ ହିଂସା ନ ପଡ଼ିବ ସଂସାରୁ ମାନବ ଯିବୁ ତରି । ଚାଲ ରାଜାପାଶେ । ବୁଝାଶୁଝା ହେବ କବି ଭାଷା ।

(ଗୋସିଂହ ପାଶେ ସାତ୍ୟକିର ପ୍ରବେଶ ଓ ଗୋସିଂହର ପ୍ରଶ୍ନ)

ଗୋସିଂହ

-

ଭାଷରେ ପାମର ! କାହିଁ ତୋର ଘର, କି ନିମନ୍ତେ ମୋ ରାଜ୍ୟେ ପଶିଲୁ । ଚିନ୍ତ ଶିବ ଶିବ ଯିବ ନିଶ୍ଚେ ଜୀବ ଜୀବଧବପୁର । କିସ ନାମ ଧରୁ କିଏ ତୋର ଗୁରୁ ଭୀରୁ କହ ମୋହର ନିକଟେ, ଜାଣିନାହିଁ ରକ୍ଷଭକ୍ଷ୍ୟ ନରଜାତି; ବୃଥାରେ ଯା ପଡ଼ିଲୁ ସଂକଟେ ।

ସାତ୍ୟକି

-

ଜେନାବତୀ କଟକ ସମ୍ରାଟ୍ !

 

 

ଘେନ ଘେନ ଭୃତ୍ୟର ଏ ଅଳି ।

 

 

ଶିନିପୁତ୍ର ସାତ୍ୟକି ମୋ ନାମ,

 

 

ଆସିଅଛି ଶ୍ରୀବାସୁଦେବଙ୍କ ଦୌତ୍ୟକାର୍ଯ୍ୟେ

 

 

ଘେନି ନିମନ୍ତ୍ରଣ,

 

 

ନିମନ୍ତ୍ରିବା ପାଇଁ ଶ୍ରୀଛାମୁକୁ ।

 

 

ଜରାସନ୍ଧ ଭୋଜରାଜ କଂସର ଶ୍ୱଶୁର

 

 

ଧାଡ଼ିଦେଲା ବେଳେ ଅଷ୍ଟାଦଶ ବାର ମଥୁରାକୁ,

 

 

ଘେନି ନିଜ ବନ୍ଧୁବାନ୍ଧବଙ୍କୁ

 

 

ଲୁଚିଥିଲେ କୃଷ୍ଣ ଯେଉଁ ରୈବତ ପର୍ବତେ,

 

 

ସେ ପର୍ବତେ ଥାଇ ଭାବିଥିଲେ ନିଜର ଅନ୍ତରେ

 

 

ଘଟିଲେ ଦୁର୍ଦିନ କରିବେ ତହିଁରେ ମହାଯାଗ ଅନୁଷ୍ଠିତ ।

 

 

ଏବେ ସେ କାମନା ହୃଦେ ଧରି ହରି

 

 

ଭ୍ରାତା ତୁଲେ ସସ୍ତ୍ରୀକ ଭାବରେ

 

 

ଗିରିବ୍ରଜେ କରନ୍ତି ଭ୍ରମଣ ।

 

 

ଚଉଦିଗେ ପେଶିଛନ୍ତି ଦୂତ

 

 

ନୃପଗଣ ବରଣ ଉଦ୍ଦେଶ୍ୟେ;

 

 

ମୋ ଭାଗେ ପଡ଼ିଲା ଶ୍ରୀଛାମୁଙ୍କ ଦରଶନ ।

ଗୀତ

[କି କହିବି ପୂତନା ମୋ - ବୃତ୍ତେ]

ଜେନାବତୀ

-

ପତି ଦୋଷ କ୍ଷମା କର ଦାସର । ନିମନ୍ତ୍ରଣ ଘେନି ଆସିଅଛି ତବ ପାଶର ।୧। ରଇବତ ଗିରିରେ ଅଛନ୍ତି ରାମ ଶ୍ରୀହରି । ଯଜ୍ଞ କରୁଛନ୍ତି ଯଦୁଗଣ ସଙ୍ଗତେ ଧରି-।୨। ପଠାଇଲେ ଦେଇ ନିମନ୍ତ୍ରଣ କରେ ମୋହର । ମୋ ନାମ ସାହିତ୍ୟିକ ଶିନି ଯାଦବର କୁମାର ।୩। ବେଗ ବେଗ ହୋଇ ଯାଗଠାବକୁ ଚଳ ଦେବ । ମୋ ତୁଲେ ଆସନ୍ତୁ ରସେ ଭାଷଇ ବଇଷ୍ଣବ ।୪।

ଗୋସିଂହର ଗୀତ

[ଜୟ ପ୍ରତାପ ମତ୍ସ୍ୟ- ନରେଶ ବୃତ୍ତେ]

ସାଜି ସାଜି ମନ୍ତ୍ରି ମୋ ସୈନ୍ୟ ସାଜ ରେ । ବେଗେ ମହିଷ ଶକଟ ବାଜୀ ଗଜ ରେ ।ପଦ। ଚଳାଅ ଦନୁଜ ଥାଏ ରୈବତେ ଗଉଡ଼ଙ୍କ ଯାଗ ଦେଖି ବାହୁଡ଼ିବା ପଥେ । ଡକାଇଛି ସେ ଜେନାବତୀରାଜ ରେ ।୧। ଗୋପାଳଙ୍କ ଆଡ଼ମ୍ୱର ନୟନେ ଦେଖିବା । ଗୋଳ ହେଲେ ଜାଣ ତାକୁ ଗୋଡ଼ାଇ ଭକ୍ଷିବା-। ବୁଝିବେ ସେ ଦଇତଙ୍କ ତେଜ ରେ ।୨। ବଜାଇ ବାଜଣା ଜଣା ପରଜାଗଣକୁ । ଘେନି ଚଳିବେ ମୋ ସଙ୍ଗେ ତୀର କମାନକୁ । ନାନା ଆଭରଣେ ହେବେ ସଜ ରେ ।୩। ଚିତ୍ତ କିପେଁ ହୁଏ ବ୍ୟସ୍ତ ନ କର ରେ ଡେରି । ଶୁଭକର୍ମରେ ବିଳମ୍ୱ କେବେହେଁ ନ କରି । ପଦ ରଚେ ବଇଷ୍ଣବ ଦ୍ୱିଜ ରେ ।୪।

(ସମସ୍ତଙ୍କର ପ୍ରସ୍ଥାନ)

(ସାତ୍ୟକି କୃଷ୍ଣଙ୍କ ପାଶେ ପ୍ରବେଶ)

[ଗୀତ ହେ ଅନନୀପତି ତୋର - ବୃତ୍ତେ]

ସାତ୍ୟକି

-

ଆସଇ ଗୋସିଂହ ଦୈତ୍ୟ ଶୁଣ ଯଦୁନାଥ ! ଦୂରେ ଦେଖ ଚଢ଼ିଅଛି ଅଶ୍ୱ ଗଜ ରଥ । ସୈନ୍ୟ-ସେନା ତୁଲେ ହେ । ବେଗେ ଦେଖ ଗିରିରେ ପୂରିଲେ ହେ ।୧। ପଥବଣା ହୋଇ ପ୍ରବେଶିଲି ରାଜ୍ୟେ ତାର । ବାନ୍ଧି ଘେନିଗଲେ ତା ନିକଟେ ଅନୁଚର । ଦେଖି ଦୈତ୍ୟନାଥ ହେ । କୋପ ବହୁ ପୁଚ୍ଛିଲା ସମସ୍ତ ହେ ।୨। ନିମନ୍ତ୍ରଣ ଆଣିଅଛି କହିବାରୁ ଜୀବ । ରହିଲା ନିଶ୍ଚୟ ମୋତେ ଗିଳିଥାନ୍ତେ ଦେବ-! ଆସିଅଛି ସଙ୍ଗେ ହେ । ରଣ କରି ନାଶ ତାକୁ ବେଗେ ହେ ।୩।

କୃଷ୍ଣ

-

ଚାଲ ରେ ସାତ୍ୟକି ବେଗେ ସଜା ଯଦୁସୈନ୍ୟ । ଆଜି ଯୁଦ୍ଧେ ଯମପୁରେ ଯିବ ଯାତୁଧାନ । ବଇଷ୍ଣବ କହି ରେ । ତୋତେ ବାନ୍ଧି ରଖିଥିଲା ନେଇ ରେ ।୪।

 

 

ସ୍ଥିର ହୁଅରେ ଭ୍ରାତ ସାତ୍ୟକି,

 

 

ଭୟ କରନାହିଁ ଦାନବକୁ ।

 

 

କରିଛୁ ଉତ୍ତମ କାର୍ଯ୍ୟ ତୁହି ।

 

 

ନିମନ୍ତ୍ରି ଆଣିଛୁ ସେହି ଦୁଷ୍ଟ ନିଶାଚରେ ।

 

 

ପତଙ୍ଗ ପରାୟେ ପାପୀ ମମ କୋପାନଳେ

 

 

ଦଗ୍‌ଧୀଭୂତ ହେବ ଏହିଠାବେ ।

 

 

ଏହି କର୍ମେ ଦୁଇକର୍ମ ହୋଇବ ସାଧିତ;

 

 

ରଣଯଜ୍ଞ ଦେବଯଜ୍ଞ ଉଭୟ ଉଦ୍ଦେଶ୍ୟ

 

 

ସାଧିବି ଏ ସ୍ଥଳେ ଘେନି ଯାଦବବାହିନୀ ।

 

 

ଅଗ୍ରେ ପଥ ଦେଖା ମୋତେ ଦୈତ୍ୟ ନିକଟକୁ ।

(ଯଦୁବଳ ସହ କୃଷ୍ଣ ଗୋସିଂହ ପାଶେ ପ୍ରବେଶ)

[ଗୀତ ଏହୁ କାହା ରମଣୀମଣି ରତନ - ବୃତ୍ତେ]

ରହ ରହ ରେ ପାମର ଏଥି ଆସନା । ଆଜି ପୂରିବ ନିଶ୍ଚେ ତୋ ମନୋବାସନା ।୧। ମୁଁ ନୁହେଁ ସାତ୍ୟକି ଦୁଷ୍ଟ କରିବୁ ବନ୍ଦୀ । ଉଡ଼ାଇବି ଏହି ଚକ୍ରେ ତୋ ଶିର ଛେଦି । ବଳେ ଅନେକ ପତଙ୍ଗ ସମ ଝାସନା ।୨। ମଢ଼ଗିଳା ଦଇତ ତୋ ଯମ ରେ ମୁହିଁ । ପାଞ୍ଚିଛୁ କି ଯିବୁ ଘେନି ପକାଇ । ଅଦି ପରାୟେ ବାକ୍ୟବାଣେ ଦଂଶନା । କର ରଣ ପ୍ରାଣେ ଆଶା ଥିଲେ ତୋହର । ତୋ ରକ୍ତ କରିବ ଏହି ଓରା ଆହାର । ବୃଥା ଦମ୍ଭ ଅମ୍ୱୁଧି ଜଳେ ଭାସନା ।୩। ବସା ଧନୁରେ ନାରାଚ ଗରଜୁ କେତେ । ପଥେ ଚାହଁଛନ୍ତି ତେଣେ ଶମନ ଦୂତେ । ବଇଷ୍ଣବ ବୋଲେ ହିଂସାକୁ ପୋଷନା ।୪।

(ଗୋସିଂହର ଶର ଯୋଡ଼ି ଗୀତ)

[ଆସି ପାହିଗଲା ରାତି - ବୃତ୍ତେ]

ଗୋପାଳ ଅଇଁଠାଚଟା ହେବୁ ହଟହଟା ରଣେ ମାତ ରେ ।ପଦ। ଫଟା କପାଳ ତୋର, ଘଣ୍ଟାକରେ ଚାତର । ନ ଥିବ ଦେବି ତୁଟାଇ କେଣେ ଯିବ ଏହି ଟାହି ବାଣଘାତରେ ।୧। ତୋଟାବୁଲା ବଗଡ଼, ମନମୋଟାକୁ ଛାଡ଼ । କୁଟା ପରା ଯିବୁ ଉଡ଼ି ବୁଲ ଯା ଖେଣ୍ଟାଲଉଡ଼ି ଧରି ହାତରେ ।୨। ପିଟାଖିଆ, କୁଜାତି, ଅଲାଜୁକ ଦୁର୍ମତି । ଲଟାରେ ଚରାଇ ଗାଈ ପେଣ୍ଠା ଦୁଧ ଦହି ପିଇ ହୋଇଛୁ ତ ରେ ।୩। ଅଟାଚକଟା ସମ, ତୋ ମାଂସ ବଳରାମ । ବଳି ଚୋବାଇବି ଦେଖି ଭାଷେ ବଇଆ ମୂରୁଖ ଏହି ଦାନ୍ତରେ ।୪।

(ଉଭୟର ରଣ, ଗୋସିଂହ ପରାସ୍ତହୋଇ ରଥରେ ଳୁଚନ୍ତେ ମନ୍ତ୍ରୀ ଜପାସୁରର ଗୀତ)

[ହେ ତପୋଧନ - ବୃତ୍ତେ]

ହେ ରାମହରି ! ଏ କି ଉଚିତ ତୁମ୍ଭରି ? ଯାହାକୁ ବରଣି ଦେଇଅଛ ଆଣି ତାକୁ ମାର କେଉଁପରି ।ପଦ। ହାରିଣ ଗୋସିଂହ, ଦେଇ ଛତ୍ରଭଙ୍ଗ । ପ୍ରାଣ ଘେନି ଗଲା ଫେରି ।୧। ମୁହିଁ ତାର ମନ୍ତ୍ରୀ, ରଖ ମୋ ଆପତ୍ତି । ବିପତ୍ତି- ପୃଷ୍ଠବିହାରି ।୨। ଯଜ୍ଞ ଦେଖି ଶେଷେ, ଫେରିଯିବି ଦେଶେ । ପ୍ରାଣ ରଖ ଦୈତ୍ୟ-ଅଭି ।୩। ପଶିଲି ଶରଣ, ରଖ ନାରାୟଣ ! ବଇଷ୍ଣବ ଗୁହାରି ।୪।

 

ବଳରାମ

-

ହୃଷୀକେଶ !

 

 

ନ ମାର ରାକ୍ଷସ ଅବଶେଷ;

 

 

ଦେଖିବାକୁ ଯଜ୍ଞ ଯଦି ବଳାଇଲେ ଆଶ,

 

 

ଜଗନ୍ତୁ ଏହାଙ୍କୁ ଯଦୁବଳେ ।

 

 

ନ କଲେ ଆକଟ,

 

 

ସୁଯୋଗ ପାଇଲେ ଦୁଷ୍ଟେ

 

 

ଯଜ୍ଞ ନଷ୍ଟ କରି ପଳାଇବେ ।

 

 

ଲୋଡ଼ି ନ ପାଇବା ଏହିକ୍ଷଣି,

 

 

ରଣଭଙ୍ଗ ଦେଇ ଦୈତ୍ୟରାଜ ପଳାଇଲା ଛାଡ଼ି;

 

 

ପୁଣି କାଳେ ଛଦ୍ମବେଶେ ନ ଆସେ ବାହୁଡ଼ି,

 

 

ଆମ୍ଭ ଦୂତଗଣେ ୟାଙ୍କୁ ରହିଥାନ୍ତି ବେଢ଼ି ।

(ରାମବାକ୍ୟେ କୃଷ୍ଣ ଦୈତ୍ୟଙ୍କୁ ଯଥାବିଧିରେ ରଖାଇବା ।

ରାତ୍ରେ ଜପାସୁର ସହ ଗୋସିଂହର ମନ୍ତ୍ରଣା)

ଗୋସିଂହ

-

ଚାଲ ମନ୍ତ୍ରୀ! ଏହି ରାତ୍ରେ କୃଷ୍ଣ ରାମ ତୁଲେ ମାରିବା ସମସ୍ତ ଯଦୁବଳ, ୠଷିଗଣେ-

ମନ୍ତ୍ରୀ

-

ନ ପାରିବା, ଜାଗ୍ରତେ ଅଛନ୍ତି ଯେଣୁ ରାମ ନାରାୟଣେ ।

ଗୋସିଂହ

-

ଯଜ୍ଞ ଭଗ୍ନ କରି ନିଶ୍ଚେ ମାରିବି ଅରାତି;

ମନ୍ତ୍ରି

-

କହୁଛି ଉପାୟ ଶୁଣ ଜେନାବତୀପତି !

ଗୋସିଂହ

-

କି କରିବା କହ ମନ୍ତ୍ରୀ ମନ ହୁଏ ବ୍ୟସ୍ତ;

ମନ୍ତ୍ରୀ

-

ତେରଦିନ ଉପବାସୀ ରାମ ଗୋପୀନାଥ, ବଳ ନାହିଁ କରିବା ନିହତ ।

ଗୋସିଂହ

-

ଚାଲ ମନ୍ତ୍ରି, ଏହା କେଳେ ରାମକୃଷ୍ଣ ଯଜ୍ଞାନଳେ ପୋଡ଼ି, ୠଷିଗଣେ ଯଦୁଗଣେ ବିନାଶିବା ବେଢ଼ି ।

ମନ୍ତ୍ରୀ

-

ଛାଡ଼ିଲା ଏ ଦାଉ ଆଉ ନ କାଇବା ଲୋଡ଼ି ।

 

(ଗୋସିଂହ ଯଜ୍ଞଭଗ୍ନ କରି ରାମକୃଷ୍ଣଙ୍କୁ ଯଜ୍ଞାନଳେ ପକାଇବାର ଏବଂ

ସତ୍ୟଭାମାଙ୍କୁ ରଥରେ ବସାଇବାର ଗୀତ)

[ରସିକା ଜଣେ ଏକି ବୃତ୍ତେ]

 

ଏହି ଅଟେ ସତ୍ରାଜିତଜେମା ହେ ମନ୍ତ୍ରି, ଶ୍ରୀହରିର ବାମା । ନେଲେ ୟାକୁ ହରି ତେବେ ସେ ମୋହରି ରହିବ ଜାଣ ଗରିମା ।ପଦ। ଜାଣିଅଛି ମୋର ଆଜିଠାରୁ ନିଶ୍ଚେ ହଟିଯିବ ଦୁଃଖବାଧା । ଅନ୍ଧ ଚକ୍ଷୁଦାନ ପାଇଲା ପରାୟେ ମଣିବି ମୁଁ ଏହା ସଦା ।୧। କୁନ୍ଦରଦନାର ଶୋଭାରାଶି ବସି ଝୁରୁଥିବି ନିରନ୍ତରେ । ବାମଦେବ ମୋହୀ ବାମ ହେବ ନାହିଁ ମଣଇ ଏହା ମନରେ ।୨। ଧବହୀନ ହୋଇ ବିଧନ ନ ହେବ ଯାଦବ ନାରୀମୁକୁଟ । ପାଇ ନବଧବ ମାଧବେ ଭୁଲିବ ହୃଦୁଁ ତେଜି ମନମୋଟ-।୩। ଆସିବା ଶ୍ରମ ମୋ ବିଫଳ ନୋହିଛି କପାଳ ବୃକ୍ଷରେ ଫଳ । ଫଳିଛି ଏ ସ୍ଥଳେ କଳିଛି ମୁଁ ତାହା ବଇର ମତି ଚପଳ ।୪।

ଜପାସୁରର ଗୀତ

[ସେ ନଟକୂଟିଆ - ବୃତ୍ତେ]

ହରନା ହରନା ବରବରନାକୁ ଦୈତ୍ୟମଣି ପରନାରୀ ଏହି ହେ ।ପଦ। ପଡ଼ିବ ବିପତ୍ତି, ଜେନାବତୀପତି । ନ ଛିଡ଼ା ଯଶ-କେତନେ, ଛାଡ଼ିଯାଅ ଏ ରତନେ, ଛୁଅଁ ନାହିଁ ନାହିଁ ହେ ।୧। ଚୋରି କଲା ସୀତା, ମଲା ଦଶମଥା । ଆବର ମଲା ମହିଷା, ପରଯୋଷା କରି ଆଶା ପୁଣି ସୁଗ୍ରୀବର ଭାଇ ହେ ।୨। ଜଳନ୍ଧର ନାଶ ଶୁଣିଛ ଅବଶ୍ୟ । ଶିବରମଣୀହରଣେ, ଆଶାକରି ମଲା ରଣେ, ଇନ୍ଦ୍ରଦଶା ସେହି ହେ ।୩। ହେଲେ ଶତ୍ରୁ ହତ, ଚାଲ ରକ୍ଷନାଥ, ଭଣେ ବଇଷ୍ଣବ ଦ୍ୱିଜ, ଏବେ ମନୁ କ୍ରୋଧ ତେଜ, ଖ୍ୟାତି ଘୋଷୁ ମହୀ ହେ ।୪।

ଗୋସିଂହ

-

ମନ୍ତ୍ର ! ସେହି ହରି ଅଟେ ବଡ଼ ଦୁଷ୍ଟ,

 

 

ଏହାର ହରଣେ କୌଣସି ଦୋଷ ନ ଘଟିବ ମନ୍ତ୍ର !

 

 

ରେ ଶକ୍ରାଜିତ ଦୁଲଣି !

 

 

ତେଜୁ କିମ୍ପା ନୟନରୁ ପାଣି,

 

 

ହେଲୁ ଆଜିଠାରୁ ତୁହି ଜେନାବତୀପତି ଗୋସିଂହ ରମଣୀ ।

(ରଥେ ସତ୍ୟଭାମାକୁ ଘେନିଯାନ୍ତେ ସତ୍ୟାର ରୋଦନ)

[ଗୀତ କହ କହ ବନଲତା - ବୃତ୍ତେ]

 

 

କେ ଅଛ ହେ, କର ରକ୍ଷା ଅବଳାକୁ ବିପଦରେ ।

 

 

ଗୋସିଂହ ନେଉଛି ହରି ଦୟା ନାହିଁ କା’ ହୃଦରେ ।ଘୋଷା

 

 

ସିଂହ ବ୍ୟାଘ୍ର ରକ୍ଷାପାନ୍ତି, ବେଗେ ରକ୍ଷା କର ଏଥି ।

 

 

ମୁହିଁ ଶ୍ରୀକୃଷ୍ଣ ଯୁବତୀ ନିବାର ହୃଦ ଖେଦରେ ।୧।

 

 

ଆହେ ମଣିଭଦ୍ର ଗିରି, ଗଲି ଏ ସଙ୍କଟେ ସରି ।

 

 

ଥିଲେ ହେ ଗାଣ୍ତିବଧାରି ! ରକ୍ଷାକର ଏ ଭୂଧରେ ।୨।

 

 

ପାଣ୍ତବ କୁଳମିହିର, ମୁଁ କି ନୁହଇ ତୋହର ।

 

 

ନେଉଅଛି ନାରୀଚୋର ହରିଙ୍କି ବଧି ସାଧରେ ।୩।

 

 

କେଶରୀ ଜାୟାକୁ ଶ୍ୱାନ, ଦିଏ ଆଜି ଅପମାନ ।

 

 

ବଧିର କି ହେଲା କର୍ଣ୍ଣ ବଇ ଧ୍ୟାୟି ସେ ପଦରେ ।୪।

(ଅର୍ଜୁନର ନିକଟେ ଲୁଚିଥିବା ଶତଧନୁ ସତ୍ୟାର ରୋଦନ ଶୁଣି ପ୍ରବେଶ)

ଶତଧନୁ

-

ରକ୍ଷାକର ବୀର ପାର୍ଥ ଶ୍ରୀକୃଷ୍ଣ-ନାରୀକି

ଅର୍ଜୁନ

-

ତପଭଗ୍ନ କଲୁ ମୋର, କେ ତୁହି ନାରକୀ ?

ଶତଧନୁ

-

ମୁହଁ ଶ୍ରୀହରି ବଇରୀ ଶତଧନୁ ନାମ ଧରେ

ଅର୍ଜୁନ

-

କି ନିମନ୍ତେ ରହିଥିଲୁ ଆସି ଏ ଭୂଧରେ ?

ଶତଧନୁ

-

ଲୁଚିଥିଲା ହରି ଡରେ, ତାଙ୍କ ରମଣୀକି ହରିନେଉଛି ଗୋସିଂହ

ଅର୍ଜୁନ

-

ଚିହ୍ନିଛୁ ତ ଭଲକରି କହନି ମୋ ଆଗ ?

ଶତଧନୁ

-

ଭଲକରି ଜାଣେ ସତ୍ୟଭାମା କଣ୍ଠସ୍ୱର

ଅର୍ଜୁନ

-

କାଳେ ହୋଇଥିବ କେହି ମାୟାବୀ ଅସୁର ?

ଶତଧନୁ

-

କର୍ଣ୍ଣ ଡେରି ଶୁଣ ଡାକେ ରଖ ବୀର ପାର୍ଥ,

ଅର୍ଜୁନ

-

(କର୍ଣ୍ଣଡେରି) ଶତଧନୁ, ଏହି ଦେଖ ଶର ମାରି ରୁନ୍ଧିବି ତା ପଥ ।

ଶତଧନୁ

-

କିମ୍ପା ନ ନାଶିବ ତାର ପ୍ରାଣ ଏତେବେଳେ ?

ଅର୍ଜୁନ

-

ରଣ କରିବା ବାରଣ ଅଛି ରାତ୍ରକାଳେ ।

ଶତଧନୁ

-

କାଲିଯାଏ କି ସେ ପଥ ନ ପାଇବ ଲୋଡ଼ି ?

ଅର୍ଜୁନ

-

ଗଗନଭେଦୀ ବାଣ ତା ରଥ ଥିବ ବେଢ଼ି ।

 

 

(ଶର ନିକ୍ଷେପ)

ଗୋସିଂହ

-

ଓହୋଃ, କି ଆଶ୍ଚର୍ଯ୍ୟ !

 

 

ଅକସ୍ମାତେ ଏ କି ଦୁର୍ଘଟଣା ?

 

 

ଯାଉଥିଲି ଆକାଶେ ଆରୋହି ରହୁବର,

 

 

ଚାହୁଁ ଚାହୁଁ କେ ରୁନ୍ଧିଲା ଏହି ବ୍ୟୋମପଥ ?

 

 

ପିପୀଲିକା ଯିବା ପାଇଁ ନ ଦେଖଇ ଛିଦ୍ର ଏକ କାହିଁ

 

 

ବାୟୁ ସମାଗମ ଅସମ୍ଭବ;

 

 

ଜଣାଯାଏ, ନ ଜାଣେ ସେ ଗୋସିଂହର ଶକ୍ତି ?

 

 

ମୁକ୍ତି ନାହିଁ ପାମରର ଆଜି ମୋ ହସ୍ତରୁ ।

(ଅର୍ଜୁନ ବାଣ ମାରି ପଥ ରୁନ୍ଧିବାରୁ ବାଟ ନ ପାଇଁ ଗୋସିଂହର ଗୀତ )

[ଆଗେ ଯମୁନା ଯିବ କେ ବେଗେ - ବୃତ୍ତେ]

ଏକି ଘଟିଲା ଏ ଅଦଭୂତ କାଣ୍ତ । ଯିବି କାହିଁ ନାହିଁ ପଥ ବୁଲି ଶେଷ ହେଲା ରାତ୍ର ଘୂରେ ଯେ ସପତ ବ୍ରହ୍ମାଣ୍ତ ।ପଦ। ଶରେ ଶରେ ଛାଇ କେ ଆବଦ୍ଧ କଲା ବାଟ । କେ ଭଣ୍ତ ପାଷଣ୍ତ ଅରଜିଲା ଦଣ୍ତ ଖଣ୍ତ ଖଣ୍ତ ହୋଇବ କା ପିଣ୍ତ ।୧। ରୁଣ୍ତ ହୋଇ ଦେଖୁ ଆଖଣ୍ତଳ ଦେବପୁରେ । ଅସୁରର ବାଣ ଅଟେ କେଡ଼େ ଟାଣ, ରଣେ ନ ଫୁଟିବ ଶତ୍ରୁ ପିଣ୍ତ । ଜାଣୁ ଜାଣୁ ହଳାହଳ ଗିଳିଲା କେ ସୁଖେ । ବଇଷ୍ଣବ କହି ପିଣ୍ତଦାନେ ପିତୃ ତୃପ୍ତ ହେବେ ଏ ନୁହଁଇ ପଣ୍ତ ।୩।

ଅର୍ଜୁନର ଗୀତ

[ରାଜା ଦିଅ ତୋର ଝିଅକୁ - ବୃତ୍ତେ]

ଆରେ ରହ ରହ ଦଇତ । କି ବିଚାର ହରି ନାରୀକି ହରିଲୁ ମୋ ଆଗରେ କହ ତ ।ପଦ। ଚିହ୍ନ ଅଟେ ମୁହିଁ ଗୋବିନ୍ଦ ସଖା । ମନ୍ଦମତି କର ଯମକୁ ଦେଖ । ଅର୍ଜୁନବାଣରୁ ପ୍ରାଣ ନ ପାଇବୁ ଦେଲି ସମଜାଇ ତ ।୧। କେଉଁ ବାପ ଆସି ରକ୍ଷା କରିବ ! ଚାହାଁ ଏ ଶର ତୋ ଶିର ଚୂରିବ । ପଳାଇବା ବରଟ ନାହିଁ ରେ ନିଲଠ ଗର୍ବେ ହେଲୁ ମୋହିତ ।୨। ମଦମାଂସଗିଳା ଅସୁର ଜାତି । ଜନମରୁ ତୁହି ଏଡ଼େ କୁଜାତି । ପର ରମଣୀକୁ ଚୋରି କରି ଚିତ୍ତେ ତିଳେ ଡର ନାହିଁ ତ ।୩। ଜଳଜଳ କରି ଅନାଉ କେତେ । ବଳ ଥିଲେ ରଣ କର ତୁରିତେ । ବଇଷ୍ଣବ କହି ଅହି ପରି ତୋତେ ହୋଇଲି ମୁଁ ଅହିତ-।୪।

 

ଗୋସିଂହ

-

ରଣ କର ଆଗେ ବୀରପଣ ଜଣାଯିବ ।

ଅର୍ଜୁନ

-

ବୃଥାରେ କିପାଁ ଗରବ କରୁ ରେ ଦାନବ ?

ଗୋସିଂହ

-

ନରଜାତି ହୋଇ ତୋର ଏଡ଼ିକି ବଡ଼ାଇ ?

ଅର୍ଜୁନ

-

ଏହି ଶରେ ତୋର ଶିର ଦେବିରେ ଉଡ଼ାଇ । (ଯୁଦ୍ଧ)

ଗୋସିଂହ

-

ଦେଖ ଏ ବାରୁଣା ଶର କାଟିଲା ତୋ ଧନୁ ।

ଅର୍ଜୁନ

-

ବାୟାବାସ୍ତ୍ରେ ଚାହାଁ ଉଡ଼ାଇଲି ରକ୍ଷସୂନୁ । (ଯୁଦ୍ଧ)

ଗୋସିଂହ

-

ଏ କାଳାନଳ ଶର ତୋତେ ଦହିବ ପାଣ୍ଡବା ।

ଅର୍ଜୁନ

 

ଏହି ଥର ସ୍ଥିର ତୋର କାଳପୁର ଯିବା ।

 

 

(ଗୋସିଂହର ଶିରଚ୍ଛେଦନ)

ଅର୍ଜୁନର ଗୀତ

[କେଣେ ଗଲ ଚଣ୍ଡମୁଣ୍ଡ ରେ - ବୃତ୍ତେ]

ସତ୍ୟାବତୀ ଗୋ କହ କେମନ୍ତେ ଆସିଲ ଏଥି ଗୋ । ହରିଲା କେମନ୍ତେ ହରିଣାକ୍ଷୀ ତୋତେ ଦୁଷ୍ଟ ଦାନବ କୁମତି ଗୋ ।୧। କିପାଁ ତୋତେ ସଖା ନ କରିଲେ ରକ୍ଷା କୃଷ୍ଣହୀନ ଗୋ ।୨। ନର-ନାଗ ନାକଲୋକ ଯା ସେବକ ତା ନାରୀର ଏ ବିପତ୍ତି ଗୋ । ୩। ବଇଷ୍ଣବ ଗିର, ନ ଗଡ଼ାଅ ନୀର, ଭାଷ କରି ସ୍ଥିରମତି ଗୋ ।୪।

ସତ୍ୟାର ଉକ୍ତି

[କାହିଁ ଗଲ ଜୀବିତେଶ - ବୃତ୍ତେ]

କି କହିବି ଇନ୍ଦ୍ରସୁତ ମୋର ଦୁଃଖର କାରଣ ମୁଖେ । କରୁଥିଲେ ରାମ ହରି ଯାଗ ରଇବତ ଗିରିଶିଖେ ।ପଦ। ତାଙ୍କ ରଣେ ହାରି କଉପଣ କାହିଁ ଲୁଚିଥିଲା ଅନ୍ତରୀକ୍ଷେ ! ପୁଣି ନିଶିଯୋଗେ ଯଜ୍ଞ ଧ୍ୱଂସି ଫିଙ୍ଗିଅଛି ମହାଦୁଃଖେ ।୧। ରୋହିଣୀସତେ ଈଷିତେ କୃଷ୍ଣ ତୁଲେ ଜାକି ବେନି କାଖେ । ମାଡ଼ିଲା ସେ ହୋମାନଳେ ମୁଁ ତା ଦେଖିଛି ଥାଇ ପ୍ରତ୍ୟକ୍ଷେ ।୨। ନାଶି ମୁନି-ୠଷିପ୍ରାଣ ଦୋଷୀ ଘେନି ମୋତେ ଇଚ୍ଛାସୁଖେ । ଯାଉଥିଲା ରାଜ୍ୟେ ଚଳି ଶୋକେ ଡାକିଲଇଁ ତିନିଲୋକେ ।୩। ମରିଲେ କିବା ତରିଲେ ପଦ ଯୋଖେ ।୪।

ଅର୍ଜୁନର ଶୋକ

[ଚଉଦ ଅକ୍ଷରୀ - ବୃତ୍ତେ]

 

 

ମନ୍ଦ ବିହି ଅନ୍ଧ କଳୁ ଆଝୁଁ ଅର୍ଜୁନକୁ ।ଗୋବିନ୍ଦ ହେ।

 

 

ସତେ କି ଦେଖିବି ସେହି କାଳିଆ କାହ୍ନୁଙ୍କୁ ।ଗୋବିନ୍ଦ ହେ।୧।

 

 

ଅରକ୍ଷ ହୋଇଲେ ଏବେ ପାଣ୍ଡୁସୁତେ ହେଳେ ।ଗୋବିନ୍ଦ ହେ।

 

 

ରାଣ୍ଡପୁଅ ପାଞ୍ଚଜଣେ ଦେଲୁ କାହା କୋଳେ ।ଗୋବିନ୍ଦ ହେ।୨।

 

 

ଶାଲ୍ୱ ଶିଶୁପାଳ କଂସ କେଶୀକି ସଂହାରି ।ଗୋବିନ୍ଦ ହେ।

 

 

ଛାର ଗୋସିଂହ ସ୍ତରରେ ଗଲୁ ନିଜ ପୁରୀ ।ଗୋବିନ୍ଦ ହେ।୩।

 

 

ଅଘା ବକା ତୃଣା ଷଣ୍ଢା ବ୍ୟୋମା ଗଣ୍ଡା ଗଣ୍ଡା ।ଗୋବିନ୍ଦ ହେ।

 

 

ଅଷ୍ଟମଲ୍ଲ ମାରି ଧରା କରିଥିଲ ଥଣ୍ଡା ।ଗୋବିନ୍ଦ ହେ।୪।

 

 

ତୁ ଗିଳିଥିଲୁ ଅନଳ, ସେ ଗିଳିଲା ତୋତେ ।ଗୋବିନ୍ଦ ହେ।

 

 

ବ୍ରହ୍ମକଳେବରେ ଅଗ୍ନି ଦହିଲା କେମନ୍ତେ ।ଗୋବିନ୍ଦ ହେ।୫।

 

 

ଅଷ୍ଟପାଟବଂଶୀକି ନିବେଶି କାହା ପାଶେ ।ଗୋବିନ୍ଦ ହେ।

 

 

ଭାଇ, କି ଭାବି ଗମିଲ ବଇକୁଣ୍ଠବାସେ ।ଗୋବିନ୍ଦ ହେ।୬।

 

 

ଚାଲ ଶତଧନୁ ଶକ୍ରାଜିତର ଦୁଲଣୀ ।ଗୋବିନ୍ଦ ହେ।

 

 

ରଇବତେ ଯିବା ବିପ୍ର ବଇଷ୍ଣବ ଭଣି ।ଗୋବିନ୍ଦ ହେ।୭।

(ଅନଳକୁଣ୍ଡପାଶେ ଅର୍ଜୁନର ରୈବତଶୃଙ୍ଗେ ପ୍ରବେଶି)

(ସ୍ତବ ଉଠ ଉଠ ବାପଧନ ମନ ଊଣା - ବୃତ୍ତେ)

ନମୋ ନମୋ ବୈଶ୍ୱାନରେ ନମୋ ବିଶ୍ୱବିନାଶୀ । ନମସ୍ତେ ହେଜାତବେଦ ଖାଣ୍ଡବ ବନଗ୍ରାସି ।ପଦ। ନମୋ ହେ ସାନୁଧାରି, ଦିଅ ମୋ ରାମ ହରି । ତା ନୋହିଲେ ତୋହରି, କୁଣ୍ଡେ ପିଣ୍ଡ ମୋହରି । ଝାସି ନିଶ୍ଚିତ ଭଜିବି ଯୋଗ ଆସନେ ବସି ।୧। ଧ୍ୟାୟି କୃଷ୍ଣେ ସ୍ନେହରେ, ତେଜିବି ଏ ଦେହରେ । ଭକ୍ଷି ଲକ୍ଷ୍ମୀନାହାରେ, ରହିବୁ କି କାହାରେ । ଦେବତାଙ୍କଠାରୁ ଜନ୍ମି ନୁହ ତୁ ଦେବଦ୍ୱେଷୀ-।୨। ବ୍ୟାପୀ ସଚରାଚର, ଏ କି ତୋହ ବିଚାର । କିସ ଗୋଚର, ମୁହିଁ ତୋ ପରିଚାର-। ଦିଅ ଜୀବ ଜୀବନକୁ ଏ ରସେ ବଇ ଭାଷି ।୩।

(ରାମ କୃଷ୍ଣ ଅନଳୁ ବାହାରି ଗୀତ)

[କହ କରୁଣାସାଗର ହେ - ବୃତ୍ତେ]

ରାମ

-

ଆସ ବାସନନନ୍ଦନ ରେ, ଆସ ଆସ କୋଳକୁ ମୋର । ତୋହ ଯୋଗେ ଆଜି ପାଇଲି ଅର୍ଜୁନ ହରାଇଥିବା ହାର ।ପଦ। ଭାଷ ଅସୁରକୁ ନାଶି କେମନ୍ତେ, ଆଣିଦେଲୁ ସତ୍ୟଭାମା ମୋତେ । କେଉଁପରି ପଥେ ଭେଟିଲୁ ଦଇତେ, କହି ସଂଶୟ ହର ।୧। ଶତଜନ୍ମେ ଏହି ୠଣ ତୋହରି, ଶୁଝି ନ ପାରିବେ ବୁଝ ରେ ହରି ! ଭାଇଠାରୁ ଭ୍ରାତ ଯାହା ପାଞ୍ଚୁ ଚିତ୍ତ ମାଗ ରେ ଇଚ୍ଛାବର ।୨। ଶ୍ୱାସରୁଦ୍ଧ ରାଜା ୠଷି ସରବେ, ପବନାସ୍ତ୍ର ପେଶି ବଞ୍ଚା ତୁ ଏବେ । ପାଆନ୍ତୁ ପରାଣ ଏବେ ଯଦୁଗଣ ଯଶ ହେଉ ବିସ୍ତାର ।୩। ଯାଗ ଶେଷ କରି ଯିବା ଦ୍ୱାରିକା । କାହାର ମନରେ ନ ଥିବା ଦକା ।ବଇଷ୍ଣବ ଏକା ମାଗୁଛି ଏ ଭିକ୍ଷା କାଟ ମୋ ଶତ୍ରୁ ଶିର ।୪।

ଅର୍ଜୁନ

-

ପ୍ରଭୁ, ଯେବେ ମୋତେ ଏକାନ୍ତ ବର ଦେବାକୁ ବାସନା ଥାଏ, ମୋର ଏତିକି ପ୍ରାର୍ଥନା ଯେ, ଏ ଶତଧନୁ ତୁମ୍ଭଠାରେ ଦ୍ରୋହୀ ହୋଇ ମଣିଭଦ୍ର ଗିରିରେ ଲୁଚିଥିଲା; ସେ ମୋତେ ଗୋସିଂହ ସତ୍ୟଭାମାକୁ ନେବାର ଖବର କହିବାରୁ ମୁଁ ରାକ୍ଷସକୁ ନାଶ କରି ତୁମ୍ଭ କୃପାରୁ ସତ୍ୟଭାମାକୁ ଉଦ୍ଧାରକଲି । ଏହି ବର ଦିଅ ଯେ, ଶତଧନୁକୁ ତୁମ୍ଭର କାଳେ କାଳେ ଭୟ ନ ହେଉ ।

ରାମ

-

ଅସ୍ତୁ ହେଉ ପାର୍ଥ ! ଏହି କୃଷ୍ଣଦ୍ୱେଷୀ ଶତଧନୁକୁ ଅଭୟଦାନ କଲୁଁ । କୃଷ୍ଣ ରେ ! ଚାଲ ଅର୍ଜୁନକୁ ନେଇ ଆମ୍ଭେମାନେ ଦ୍ୱାରକାକୁ ଯିବା । ସମସ୍ତେ ଯଜ୍ଞରେ ଏବେ ପୂର୍ଣ୍ଣାହୁତି ଦିଅ ।

 

 

(ଯଜ୍ଞ ସମାପ୍ତ - ଅର୍ଜୁନ, ସତ୍ୟଭାମା ଓ ରାମ କୃଷ୍ଣଙ୍କର ଦ୍ୱାରକାଗମନ ଅଷ୍ଟପାଟବଂଶୀଙ୍କ ପ୍ରବେଶ ।)

ଗୀତ

[ନବନୀରଦ ବରନ - ବୃତ୍ତେ]

ଆସ ଆସ ଗୋ ସଙ୍ଗାତ । ବନ୍ଦାଇବା ଆସୁଛନ୍ତି ପାର୍ଥ ସହ ଗୋପୀନାଥ ।ପଦ। ଦେଖିବା ଅରଜୁନେ, ସର୍ବେଆନନ୍ଦମନେ। ତାରିଲା ଆମ୍ଭ ସଖିକି ଗୋସିଂହକୁ କରି ହତ ।୧। କରିଲା ଉପକାର ଯେଉଁପରି ଆମ୍ଭର । ଶତ ଜୀବନେ ସେ ଋଣ ଶୁଝି ନୋହିବ କିଞ୍ଚିତ୍‌ ।୨। ସ୍ତବେ ଅନଳ ତୁଷ୍ଟ, କରିଣ ରାମ କୃଷ୍ଣ । ଦୁହିଁଙ୍କି କଲା ଉଦ୍ଧାର ଜାଣିବେ ଏହାର ତଥ୍ୟ ।୩। ବଇଷ୍ଣବର ଅଳି, ଚାଲ ଗୋ ବେଳାବେଳି । ଶଣିଛି ବାରି ନୁହନ୍ତୁ କେ କୃଷ୍ଣ କେ ଇନ୍ଦ୍ରସୁତ ।୪।

(ଏକାଳେ ସୁଭଦ୍ରାର ପ୍ରବେଶ)

 

ସୁଭଦ୍ରା

-

କେଉଁଆଡ଼େ ଯାଉଅଛ ନୂଆବୋହୂମାନେ ?

ରୁକ୍ମିଣୀ

-

ଯିବା ବନ୍ଦାଇବାକୁ ତୁମ୍ଭ ଭାଇ, ଅରଜୁନେ ।

ସୁଭଦ୍ରା

-

ମୋତେ କଅଣ ସଙ୍ଗତେ ତୁମ୍ଭେ ନେବ ନାହିଁ ।

ରୁକ୍ମିଣୀ

-

ଦେଖିଲେ କାଳେ ତୁମ୍ଭଙ୍କୁ ଗାଳିଦେବେ ଭାଇ ।

ସୁଭଦ୍ରା

-

କାଳକ ନ ଗଲା ମୋହଠାରୁ ହିଂସା ?

ରୁକ୍ମିଣୀ

-

ମିଛେ କାହିଁକି ସୁଭଦ୍ରା ଭାଷ କଟୁଭାଷା ।

ସୁଭଦ୍ରା

-

ଦୂରୁ ଦେଖାଯାନ୍ତି ଏକରୁପ ଦୁଇଜଣ ।

ରୁକ୍ମିଣୀ

-

ଚିହ୍ନିଲ କେହୁ ଅର୍ଜୁନ କେହୁ ନାରାୟଣ ।

ସୁଭଦ୍ରା

-

ମନା କରୁଥିଲ ମୋତେ ଚିହ୍ନିବ କି ପାଇଁ ?

ରୁକ୍ମିଣୀ

-

ଆସ ଗୋ ନଣନ୍ଦେ, ଆଗ ବନ୍ଦାଇବା ଯାଇଁ ।

 

 

(ସମସ୍ତେ ବନ୍ଦାଇ ଅର୍ଜୁନ କୃଷ୍ଣ କୃଷ୍ଣଙ୍କୁ ଘରକୁ ନେବା)

 

(ସତ୍ୟଭାମାର ସୁଭ୍ରଦାକୁ ଦେଖି ଗୀତ)

[କହ କହ ନୂଆବୋହୂ ଗୋ - ବୃତ୍ତେ]

 

ସରସ ମନକୁ ବିରସ କରିଛ ନଣନ୍ଦେ କହ କାହିଁକି ? ଏ ଭାବବତ ଡୋଳେ ଦେଖିନାହିଁ କାଳେ କିସ ଭାଳି ମୁଖ କରୁ ମହୀକି ।ପଦ। ତାହା ମୁହଁ ନ ପାରେ ଜାଣି । ସତ ଭାଷ ମିତଣି ! ଜାଣିଲେ ମୁଁ ସିନା ଆଣିଦେବି ତାକୁ କହୁଅଛି ଚନ୍ଦ୍ର-ସୂର୍ଯ୍ୟେ ଚାହିଁକି । ଏ ଦ୍ୱାରକାପୁରୀରେ କିସ, ଅପୂରୁବ ହେଲା ଗୋ ଭାଷ ? ଶର୍ବରୀଶମୁଖୀ ଏ ପରବ କରୁ ଯା ପାଇଁ ଯାହା ଲିହିଛି ବିହି କି ।୨। ଅନୁକ୍ଷଣେ ଭାବିଲା ପରି, ଦିଶିଯାଏ ଛବି ତୁମ୍ଭରି । ଦ୍ରବିଲା ସମାନେ ଦ୍ୱିରଦଗମନେ, ନ ହୁଅ ସେ କଷ୍ଟ ଜଣା ବଇକି ।୩।

 

(ସୁଭଦ୍ରାର ଉକ୍ତି)

[ଘେନାଇ ଆମ୍ଭେ ଯେତେ କହିଲ ଗୋ - ବୃତ୍ତେ]

 

କହିବ ନାହିଁ ବୋହୂ କାହାକୁ ଗୋ । ଭାଳଇ ଦେଖି ନେତ୍ରେ ଯାହାକୁ ଗୋ ।ପଦ। ମୋ ଦେହ ଛୁଇଁ ସତ୍ୟ । କରିଯାଅ ଗୋ ମତି ! ଭୋଗୁଅଛି ସନ୍ତାପ ଦାହାକୁ ଗୋ ।୧। ବନ୍ଦାଇବାର କାଳେ । ଅର୍ଜୁନ ରୂପ ଡୋଳେ । ପଡ଼ି କରି ନ ପାଏ ରାହାକୁ ଗୋ ।୨। କେବଳ ତାହା ବିନା । ନାହିଁ ଆନେ କାମନା-। ଚୁମ୍ବକ ଟାଣେ ଯେହ୍ନେ ଲୁହାକୁ ଗୋ ।୩। ନ ପୂରିଲେ ମାନସ । କରିବି ବିଷ ଗ୍ରାସ । କବି ରଚଇ ପଦ ଏହାକୁ ଗୋ ।୪।

 

 

 

ସତ୍ୟଭାମାର ଗୀତ

[ଯେବେ ଏତେ କଥା ଚିତ୍ତେ - ବୃତ୍ତେ]

 

ବଡ଼ ଅସମ୍ଭବ କଥା କହୁ ସୁଲୋଚନା ରେ । ଭାଇ - ଭଉଣୀରେ ବିଭା ଶାସ୍ତ୍ରେ ଅଛି ମନା ରେ ।ପଦ। ଏ କଥା ଶୁଣିଲେ ଭାଇ । କି ଭାବିରେ ମନେ ସେହି । ମହୀରେ ଘୋଷିବା ନିନ୍ଦା ସୁରମ୍ଭାଜଘନା ରେ ।୧। ଆଜି ମୁଁ କଥାଛଳରେ । ହରିଙ୍କି ରାତ୍ରକାଳରେ । ଶୁଣାଇ କରିବି ନିଶ୍ଚେ ପୂର୍ଣ୍ଣ ତୋ କାମନା ରେ ।୨। ଯେବେ ସେ କରନ୍ତି ନାସ୍ତି । ଜାଣିଥା କରକଦନ୍ତି ! ବୁଝାଇବି ନାନାଶାସ୍ତ୍ର କରି ଆଲୋଚନା ରେ । ଭଗ୍ନୀ ପରସୁତା ପରସୁତ । ଏ ବିଭା ବେଦବିହିତ । ଥାଅ ବଇ ରଚେ ଗୀତ ହୁଅନା ବିମନା ରେ ।୪।

 

(ରାତ୍ରେ ସତ୍ୟଭାମା କୃଷ୍ଣଙ୍କୁ ଜଣାଇବା ଓ କୃଷ୍ଣଙ୍କ ଉକ୍ତି ଗୀତ)

[କରିବା କି ବୁଦ୍ଧି କହ ଆହେ ବିଧି - ବୃତ୍ତେ]

 

ଅର୍ଜୁନକୁ ଦେଖି ଯେବେ ରେ ସୁମୁଖୀ, ସୁଭଦ୍ରା ମୋହିତ ହେଲା । ତା ମନେ ତୋ ମନ ଏକତ୍ର ମିଶାଇ ବିଭା ଦିଅ ତୁହି ଭଲା । ପୂର୍ବଉପକାର, ସ୍ମରଣ କରି କାରଣ କର ।୧। ସେ ଅବିବାହିତା ଅଛି ଜାଣ ସତ୍ୟା କରନା ତା ଆଶାଭଙ୍ଗ । ହେବ ମହାପାପ ଭୋଗିବୁ ସନ୍ତାପ ଘଟାଇ ଦିଅ ସେ ଯୋଗ । ଥିବ ଦୁଃଖିତରେ, ଭଳାଇ ମୁଁ ଏହା ମାନସରେ ।୨। ମଧ୍ୟପାତ୍ରୀ ହୋଇ ଏହି ରାତ୍ର ମଧ୍ୟେ ସୁଭଦ୍ରାକୁ ଘେନି ଚଳ । ରେ କନକଗାତ୍ରୀ ଦୁହିଙ୍କର ମତି ଏକତ୍ରେ କରାଅ ମେଳ । ଆରେ କଲକଣ୍ଠି, ଭୁଲି ନ ଯିବୁ ଏ କଥା ଗୋଟି ।୩। ତ୍ରୁଟି କଲେ ଛୁଟିଯିବ ଭଦ୍ରା ଜୀବ ଜୀବଧବପୁର ଯିବ ହେଳେ । ଲୁଟିନେବ କାଳଯମ କ୍ରିୟାକର୍ମ ପଡ଼ାବୁଲା ବଇଷ୍ଣବ ଭାଳେ । ଧାତା ଲେଖା ଯାହା, ଆନ କେ କରି ପାରିବ ତାହା ।୪।

(ସତ୍ୟଭାମା ସୁଭ୍ରଦାକୁ ଘେନି ଅର୍ଜୁନର ଦ୍ୱାର ନିକଟରେ ପ୍ରବେଶ)

ସତ୍ୟଭାମା

-

ଫିଟାଅ ଦୁଆର ବେଗେ ହେ ପୁରୁଷମଣି ! ସୁଭଦ୍ରାକୁ ଘେନି ମୁହିଁ ଆସିଅଛି ପୁଣି ।

ଅର୍ଜୁନର ଉକ୍ତି

[ଏହି କି ମୋ ଜବାଧରା - ବୃତ୍ତେ]

ଏଡ଼େ ଅନୀତି ଭାରତୀ ଭାଷ କାହିଁକି ଗୋ ।ପଦ। ଅର୍ଦ୍ଧ ରଜନୀ । ଦେଖ ସଜନୀ ଗୋ । ଛଳେ ଡାକ କାହିଁପାଇଁ ଗୋ ।୧। ଭଗ୍ନୀ-ଭାଇରେ । କେ ବିଭା କରେ । ଶୁଣଛ କି କେବେ କାହିଁ ଗୋ ।୨। ପାପ ଅନଳେ । ମୋ ପୁଣ୍ୟଫଳେ । ଜାଳ ନାହିଁ ଗୋ ଜାଳ ନାହିଁ ଗୋ ।୩। ଛାଡ଼ ଚାତୁରୀ, ରେ ହେମଗୋରୀ । ନୁହ ବାଇ ଗୋ ନୁହ ବାଇ ଗୋ ।୪। ଚିତ୍ତହରଷେ, ବଇଆ ଭାଷେ । ମୋହ ନାହିଁ ମୋହ ନାହିଁ ଗୋ ।୫।

ସତ୍ୟଭାମା ଉକ୍ତି

[ନ ନିଅ ଆମ୍ଭ ଶ୍ରୀହରି ରେ - ବୃତ୍ତେ]

ନ ଥିବେ ତୁମ୍ଭ ସମାନ ହେ ଅର୍ଜ୍ଜୁନ, ରସାରେ ଏପରି ଜନ । ଫେରାଇ ଦେଉଛ କି ବିଚାରି ଚିତ୍ତେ ଏଡ଼ି ଶ୍ରୀହରିବଚନ ହେ ।ପଦ। ଶୁଣିଛି ଦ୍ରୁପଦ ପୁରେ ହେ ଅର୍ଜ୍ଜୁନ, ଭେଦିଲି ଦ୍ରୋଣ ଲାଖରେ । ପାଞ୍ଚାଳୀକି ନେଇ ଭାଇଙ୍କି ବାଣ୍ଟିଛ କେମନ୍ତେ ବଳିଲା ମନ ହେ ।୧। ପରେ ପରେ ପରିଚିତ ହେ ଅର୍ଜ୍ଜୁନ, ଏ କାଳର ଗତି ଚିନ୍ତ । ଜଳନ୍ଧର-ନାରୀ ହରିଲେ ଶ୍ରୀହରି ଇନ୍ଦ୍ର-ଅହଲ୍ୟା ବିଧାନ ହେ ।୨। ଧାତା ଉର୍ବଶୀ ହରିଲେ ହେ ଅର୍ଜ୍ଜୁନ, ଗୁରୁପତ୍ନୀ ଚନ୍ଦ୍ର ନେଲେ । ଷୋଳସସ୍ର ସତୀ ନେଲେ ଯଦୁପତି ସୀତା ହରିଲା ରାବଣ ହେ ।୩। ସରବେ ଭଉଣୀ ଭାଇ ହେ ଅର୍ଜ୍ଜୁନ, ଏକ ପିତା ଆନ ନାହିଁ । ଜାଣିଶୁଣି ପୁଣି ଅଜଣା ହେଉଛ କହୁଛ କଟୁ ବଚନ ହେ ।୪। ପୁରୁଷଙ୍କ ଶିରୋମଣି ତୁମ୍ଭେ ପରା, ଧରି ନ ଥିବ ଧରଣୀ । ଏଡ଼େ ଅଲାଜୁକ ଆଷାଢ଼ର ପିକ ଧିକ ବଇ ନିବେଦନ ହେ ।୫।

ଅର୍ଜ୍ଜୁନ ଗୀତ

[ହେଲିଟି ମେଲାଣି ଧନ - ବୃତ୍ତେ]

ମନ୍ଦଗମନା ରେ ! ନିନ୍ଦା କରି ପଛେ କଟୁ ଭାଷ । ଗୋବିନ୍ଦ ଭଗ୍ନୀ ହରଣେ କ୍ଷଣେ ନ ବଳିବ ଆଶ ।ପଦ। ନିନ୍ଦିବେ ଜଗତ ଲୋକ । ଟେକି ନ ପାରିବି ମୁଖ । ଛନ୍ଦ ନୁହେଁ କୁନ୍ଦଦନ୍ତୀ ଘଟିବ ଆୟୁଷ ଶେଷ ।୧। ଇନ୍ଦ୍ର ସହସ୍ରାକ୍ଷ ହେଲା । ଜଳନ୍ଧର ରଣେ ମଲା । ଚନ୍ଦ୍ର ହେଲେ କ୍ଷୟକାଳ ରାବଣ ସବଂଶ ଧ୍ୱଂସ ।୨। ଧାତା ଉର୍ବଶୀହରଣେ । ଟାହି କଲେ ଦେବଗଣେ । କୃଷ୍ଣ ବୈକୁଣ୍ଠବିହାରୀ ଯା’ ଠାରେ ଜଗତ ବଶ ।୩। ତାହାଙ୍କ ସଙ୍ଗେ ସମାନ । ହେବି କି ମୁଁନୀଚ ଜନ । ଫେରିଯାଅ ଘେନି, ମାନ ବଇଷ୍ଣବ ରଚେ ରସ ।୪।

(ସୁଭଦ୍ରାକୁ ଘେନି ସତ୍ୟଭାମାର ଫେରିଯିବା ଏବଂ ଏସବୁ ବିଷୟ କୃଷ୍ଣଙ୍କୁ ଜଣାନ୍ତେ କୃଷ୍ଣଙ୍କର ଉକ୍ତି)

[ଗୋକୁଳାନନ୍ଦଚନ୍ଦ୍ରଙ୍କୁ - ବୃତ୍ତେ]

ସତ୍ରାଜିତଦୁଲଣି ରେ ସୁଭଦ୍ରାକୁ ବୋଧକର । ପ୍ରବୋଧି ଅର୍ଜ୍ଜୁନେ କାଲି କହିବି ମୁହିଁ ନିକର ।ପଦ। ନାନା କଥାରେ ଛଳାଇ । ତା ଚିତ୍ତ ଦେବି ଚଳାଇ । ଆଜି ନ କରିବ ନାହିଁ ନିଶିରେ ଇନ୍ଦ୍ରକୁମାର ।୧। ରୂପ ଗୁଣେ ଯୋଗ୍ୟ ପାର୍ଥ । ସୁଭଦ୍ରା ଧରୁ ତା ହାତ । ମାତାଙ୍କୁ ଜଣା ଯା ଶୁଣା ଯାହା ପୂର୍ବ ଉପକାର ।୨। ଯେ ଯା’କୁ ଯୋଗ୍ୟ ଯୁକତେ । ଲେଖା ତା ଦଇବ ହାତେ । ବିପକ୍ଷ ହେଲେ ତା କାଟି ନ ପାରିବେ ଚରାଚର ।୩। ପୁଣି ମାୟାବତୀ ତୁଲେ । ମନ୍ତ୍ରଣା ତୁ କର ଭଲେ । ମାୟାରେ ମୋହୁ ଅର୍ଜ୍ଜୁନେ ବଇଷ୍ଣବର ଏ ଗିର ।୪।

 

(ସତ୍ୟଭାମା ଦେବକୀ ନିକଟରେ ପ୍ରବେଶ, ଗୀତ)

[ଦାସୀ ବୁଦ୍ଧି ହୁଡ଼ିଲି - ବୃତ୍ତେ]

 

ମାତ ଶୁଣ ମୋ ବାଣୀ । ଆସିଲି ରଖିବ ଥରେ ମୋର ମାଗୁଣିଗୋ ।ପଦ। ଦେଖି ଭଦ୍ରା ପାର୍ଥ ରୂପ-। ଭୋଗନ୍ତି ମନେ ସନ୍ତାପ । ବିଭାଦିଅ କର୍ଣ୍ଣେ କାହା କଥା ନ ଶୁଣି ଗୋ ।୧। ଭଦ୍ରା ଅନୁରୂପେ ବର-ଅଟଇ ଇନ୍ଦ୍ରକୁମର । ପଠାଇଲେ ହରି ମୋତେ ଏ ଭାବ ଜାଣି ଗୋ ।୨। ଶୁଝିବେ ଅର୍ଜ୍ଜୁନ ୠଣ । ବସିଛନ୍ତି ନାରାୟଣ । ବୁଝିଛି ତାହାଙ୍କ ମନ ନେଇଛି କିଣି ଗୋ ।୩। କି କହୁଛ ଶାଶୁ କୁହ? ବିଳମ୍ବେ ହୃଦ ଅଥୟ । ନେବ କେ ଦୋଷ ଏ ଗୀତେ ବୈଷ୍ଣବ ଭଣି ଗୋ ।୪।

 

ଦେବକୀର ଉକ୍ତି

[ତାକୁ ଯା ଯା ବୋଲି କହିଦେ - ବୃତ୍ତେ]

 

ବୋହୂ ଯାଅ ଯା ବହନ ଚଳି । ମୋହନକୁ କହ, ତାର କଥା କେ ପାରିବ ଟାଳି ।ପଦ। ଭଦ୍ରାକୁ ପାର୍ଥ ତୁଲେ, ବିଭାଦେଉ ସେ ଭଲେ । ପଦେ ପଚାରେ ପଛକୁ ନ ଥିବ କିଳି ।୧। ପରଝୁଅକୁ ପରପୁଅ ସାରା ସଂସାର । ଅସାର ନୁହେ ଏ କିଛି ରୁହ ସୁଭଦ୍ରାର ଅଳି ।୨। ଭାଷ କୃଷ୍ଣକୁ ମାତ, କରିଲେ ସନମତ । ଯାଉଛି ରାମ ସଦନେ ବଇଷ୍ଣବ ଗୀତେ ଭାଳି ।୩।

 

 

(ଦେବକୀ ରାମକୁ ଜଣାନ୍ତେ ରାମଙ୍କର ଗୀତ)

[ପ୍ରାଣସଙ୍ଗିନୀ ରେ, କାଲି ମୁଁ କି ଲାଜେ - ବୃତ୍ତେ]

 

ମାତ ଧର ନା ଗୋ, ଏ କଥାକୁ ତୁଣ୍ଡରେ ତିଳେ । ମୁଣ୍ଡରେ ପଡ଼ିବ ବଜ୍ର କଳଙ୍କ ଲାଗିବ କୁଳେ ।ପଦ। ହସିବେ ଦାଣ୍ଡରେ ଶୁଣି । ସେ ପରା ଭାଇ - ଭଉଣୀ । ଅକୁଳା କହ୍ନାଇ ଜଣାଯାଏ ରହିଛି ୟା ମୂଳେ ।୧। ପଠାଉଛି ଦୂତ ମାତ । ହସ୍ତିନାର ନରନାଥ । ଦୁର୍ଯ୍ୟୋଧନେ ଆଣି ବରି ଦେବା ଭଦ୍ରାକୁ ତା କୋଳେ ।୨। ସୁଭଦ୍ରାର ଯୋଗ୍ୟ ପତି । ଅଟେ ହସ୍ତିନା ନୃପତି । ତା କରେ ଦେଲେ ବିଭବ ଭୋଗିବ ଏ ମହୀତଳେ ।୩। କହ୍ନାଇକି ମନା କର । ମନକୁ ମନାଇ ତାର । ଘେନାଇବ ନାହିଁ ଏହା ବଇଷ୍ଣବ ରସେ ଭାଳେ ।୪।

 

(ଦେବକୀର ପ୍ରସ୍ଥାନ, ରାମ ଦୂତକୁ ଡାକି ହସ୍ତିନାକୁ ପ୍ରେରଣ, ଗୀତ)

[ସୁବଳ ମୋ ବନମାଳି - ବୃତ୍ତେ]

 

ବହନ ଚଳ ଡଗର ହସ୍ତିନାପୁରେ ରେ । ଜଣା ମୋ ଆଦେଶ ରୁକୁମଣି ଆଗରେ ରେ ।ପଦ। ବିଭା ଦେବେ ସୁଭଦ୍ରାକୁ । ଡାକନ୍ତି ରାମ ତୁମ୍ଭଙ୍କୁ । ଉତ୍ସବ ହେବ କାଲି ଦ୍ୱାରିକା ନବରେ ରେ ।୧। ଶୁଭେ ସାଜି ବରବେଶ । ହେବ ଏଥେଁ ପରବେଶ । ଦେବଯୋଗ୍ୟ ନାରୀ ଘେନିଯିବ ସଙ୍ଗରେ ରେ ।୨। ବଜାଇଣ ବୀରବାଜା । ଉଡ଼ାଇ ଅମ୍ବରେ ଧ୍ୱଜା । ପିନ୍ଧି ଜାମା ଯୋଡ଼ା ମୋଜା ଆସୁ ରଙ୍ଗରେ ରେ ।୩। ଟାହି ନ ମଣିବ ବାଣୀ । ବଇଷ୍ଣବ ରସେ ଭଣି । ଲେଖିଦଉଛି ଚିଟାଉ ଅନୁରାଗରେ ରେ ।୪।

(ଦୂତର ଚିଟାଉ ଘେନି ପ୍ରସ୍ଥାନ)

 

(ମାୟାବତୀ ମନ୍ତ୍ର ପାଇ ସୁଭଦ୍ରା ସତ୍ୟଭାମା ସଙ୍ଗେ ଅର୍ଜ୍ଜୁନ ନିକଟକୁ

ଗମନ - ପଥେମଧ୍ୟେ ସୁଭଦ୍ରାର ଉକ୍ତି)

[ଶ୍ରୀରାଧା ବାତୁଳି - ବୃତ୍ତେ]

ଶୁଣ ଗୋ ଭାଉଜେ ଆଜି ତ ସହଜେ ରାଜି ହୋଇକରି ନେବେ ପତି । ମନ ଉଲ୍ଲାସରେ ଅତି ହରଷରେ କହିଛନ୍ତି ମୋତେ ମାୟବତୀ । ଦେଇଛନ୍ତି ଯାହା । କହୁଛି ମୁଁ ତୁମ୍ଭ ଆଗେ ତାହା । ସିନ୍ଦୂର କଜ୍ଜ୍ୱଳ ଦେଖ କି ଉଜ୍ଜ୍ୱଳ ନେତ୍ରେ ଭାଲେ ରଞ୍ଜିଛି ମୁଁ ଏହା ।୧। ପୁଣି କବାଟରେ ମାରନ୍ତେଣ କର ଫିଟିଯିବ ଦ୍ୱାର ରୁଦ୍ଧ ଥିଲେ । ତୁଟିଯିବ କୋପ ଏହି ମନ୍ତ୍ରଧୂଳି ତାଙ୍କ ପରେ ନେଇ ପକାଇଲେ। ମୋର କର ଧରି । ଭାଷିବେ ବଚନ ସୁମାଧୁରୀ । କତିରେ ବସିବେ ଚାଟୁ ସମ୍ଭାଷିବେ ସେକାଳେ ତୁମ୍ଭେ ଆସିବ ଫେରି ।୨। ବାର ବାର ବରବରନା, ମୁଁ ଯେତେ ଅପମାନ ଭୋଗୁଅଛି ଜାଣ । ଥର ଥର ଦେହ ଡରେ ଥରୁଥାଏ ପୋଡ଼ିବାରୁ ମୋର ପଞ୍ଚମନ । ତୁମ୍ଭ ଆଦେଶରେ । ଗଲି ମାୟାବତୀଙ୍କ ବାସରେ । ଜଣାଯାଏ ଭାଗ୍ୟଚନ୍ଦ୍ର ଉଦେ ହେବ ଆଜି ନିଶୀଥରେ ଆକାଶରେ ।୩। ଏବେ ଗଲା ଜଣା ସନ୍ତାପ ଯନ୍ତ୍ରଣା - ଠାରୁ ବଳି କଷ୍ଟ ନାହିଁ କିଛି । ଗ୍ରାସିଲା ପରାୟେ ଅଙ୍ଗକୁ ମୋ ପ୍ରେତ ଜ୍ଞାନଜ୍ଞାନ ଆଉ ନ ରହୁଛି । ସତେ ଭାଗ୍ୟେ ଥିବ। ସେ ପୁରୁଷ କରେ କର ଦେବ । ଦ୍ୱାର ଅବରୁଦ୍ଧ ଅଛି ଏହି ପଦ ଭାଷେ ବାରିବର୍ଷି ବଇଷ୍ଣବ ।୪।

(କବାଟରେ ହାତ ମାରନ୍ତେ ଦ୍ୱାରମୋଚନ, ସୁଭଦ୍ରା କେଶଧରି ଅର୍ଜ୍ଜୁନର ଭୀତ)

[ଯେଉଁ ହରି ହରି ପକାଉଛି ହୁରି - ବୃତ୍ତେ]

 

 

କିଏ ତୁ ରାକ୍ଷସୀ ଆସି ଏ ନିଶିରେ ପଶିଲୁଲୋ ମୋର ବାସରେ ।

 

 

ରସିଲୁ ମରଣେ କେବଣ କାରଣେ ପଡ଼ିଲୁ ଶମନ-ତ୍ରାସରେ ।୧।

 

 

ନାରୀବଧ ପାପେ ଡରି ଲୋ ପାମରୀ, ମାରିବାକୁ ନ ଚଳଇ କର ।

 

 

ତା ନୋହିଲେ କି ତୁ ରହିଥାନ୍ତୁ ଦୁଷ୍ଟା ନ ଯାଇଣ ଜନ୍ତୁପତିପୁର ।୨।

 

 

କଲେ ହେଳା ଭେଳା ହେବ ଜଳେ ମଗ୍ନ ସହଚରୀତୁଲେ ପଳା ପଳା ।

 

 

କରିଥିଲି ପରା ନିଷେଧ ହରିଙ୍କି ଭାଇ ହୋଇ ହେଉଛନ୍ତି କେଳା ।୩।

 

 

ଅର୍ଗଳେ ଆବଦ୍ଧ ମୋ ଦ୍ୱାରା କବାଟ ଫିଟାଇଲୁ କେଉଁ କଉଶଳେ ?

 

 

ବଇଷ୍ଣବ କହି କୁଳାଙ୍ଗନା ହୋଇ ଅଖ୍ୟାତି ଅର୍ଜିଲୁ କ୍ଷତିତଳେ ।୪।

 

(ମନ୍ତ୍ରଧୂଳି ପକାନ୍ତେ ସମୁଦ୍ର ଓ ଅର୍ଜ୍ଜୁନର ଏକତ୍ର ଭେଟହେବା;

ରେବତୀ ଗୋପନେ ରାମଙ୍କୁ ଏ କଥା କହନ୍ତେ ରାମ କୃଷ୍ଣଙ୍କୁ ପଚାରିବା ଗୀତ)

[ଚଣ୍ଡମୁଣ୍ଡ ହୁଅ ଇନ୍ଦ୍ର ସିଂହାସନେ - ବୃତ୍ତେ]

 

ଧିକ ରେ ଧିକ କହ୍ନାଇ ନ କଲଉ କି କାଣ୍ଡ ତୁହି । ତୁ ନ ଜାଣୁ ସୁଭଦ୍ରାରେ ଅର୍ଜୁନ ହୋଇଛି ବାଇ ।ପଦ। ଧିକ ତୋ ବିବେକପଣ, ପୋଡ଼ୁ ପୋଡ଼ୁ ନାରାୟଣ । କୁଳେ କଳଙ୍କ ବୋଳିଲୁ ଜାରଜାତକାକୁ ଦେଇ ।୧। ଆଜି ଅର୍ଜୁନେ ନାଶିବି, ଶମନପୁରେ ପେଷିବି । ସୁଭଦ୍ରା ଦୁର୍ଯ୍ୟୋଧନ ଦେବି ଦୂତ ଦେଇଛି ପଠାଇ ।୨। ଆସିଯିବ କୁରୁଈଶ, ସାଜି ବରବେଶ । ଏଥିକୁ କରିବି କିସ ମରିବି ମୁଁ ବିଷ ଖାଇ ।୩। ଭାଇ-ଭଉଣୀରେ ପ୍ରୀତି, ଏ କଥା ଶୁଣିଲା ଶ୍ରୁତି । ବଇଷ୍ଣବ ଭଣେ ପ୍ରାଣେ ମରିବ ଜାଣ ବିଜୟୀ ।୪।

 

 

 

(କୃଷ୍ଣ ଜାଣେନାହିଁ ବୋଲି କହନ୍ତେ; ଅର୍ଜୁନ ପାଶେ ରାମ ହଳମୂଳଷ ଘେନି ପ୍ରବେଶ, ଗୀତ)

[ତେଜ ତେଜ ଚିନ୍ତା ଚିତ୍ତୁ - ବୃତ୍ତେ]

 

କିପାଇଁ ଗାଣ୍ଡିବୀ କଲୁ ଏଡ଼େ ମନ୍ଦ କୃତ୍ୟରେ । କେଉଁ ସାହସରେ ହେଲୁ ସୁଭଦ୍ରାରେ ରତ ରେ ।ପଦ। ନାହିଁ ରେ ତୋର ଠିକଣା, ହେଲୁ ଏଡ଼େ ଦିନକଣା । ଭଉଣୀ ବୋଲିଣ ଥରେ ନ ଭାବିଲୁ ଚିତ୍ତରେ ।୧। ଆଜି ଏ ମୂଷଳେ ମୁଣ୍ଡ । କରିବି ତୋ ଶତଖଣ୍ଡ । ଜାରଜାତକା ବିଚାର ନାହିଁ ହିତାହିତ ରେ ।୨। ସିଂହ ସଦନେ ଶୃଗାଳ । ଆସି ଆରମ୍ଭିଲୁ ଗୋଳ । ନାଶିଲୁ ଜୀବନ ଝାସି ଅଗାଧ ସରତିରେ ।୩। ରଣ ବିନା ତ୍ରାଣ ନାହିଁ । ଜାଣିଥାଅ ରେ ବିଜୟୀ । ଟାଣ ଥିଲେ ବାଣ ଧର ବଇ ବୋଲେ ଗୀତରେ । ୪।

 

ଅର୍ଜୁନ

-

ନୀଳାମ୍ବର !

 

 

ଏ କି ଳୀଳା ଲଗାଇଛ ଆଜି ?

 

 

ଭୁଲ ହଳପାଣି, ଖଳ ସ୍ୱଭାବ ମନରୁ;

 

 

ନାମ ବହି ବଳବନ୍ତ

 

 

ଦୁର୍ବଳ-ମସ୍ତିଷ୍କ ନୁହ ସାମାନ୍ୟ କାର୍ଯ୍ୟରେ ।

 

 

ଫଳାଫଳ ଭୋଗିବ ଅଚିରେ;

 

 

ନ ଜାଣ କି ଆଖଣ୍ଡଳସୁତର ମହିମା ?

 

 

ସୁରେ ପଶି ନିବାତକବଚ ଦର୍ପ

 

 

ଦଳିଥିଲା ଯା ଗାଣ୍ଡିବ ଟଙ୍କାର ଝଙ୍କାର,

 

 

ମନେ କି କରିଛ ରୌହିଣେୟ !

 

 

ଆଜି ନାହିଁ ସେ ଅର୍ଜୁନ ଭବେ ?

 

 

ନାହିଁ ଶିବଦତ୍ତ ପାଶୁପତ ବାଣ,

 

 

ଗଙ୍ଗାଦତ୍ତ ଭଜବାଣ ତୁଲେ

 

 

ମନେ କି କରିଛ ରୌହିଣେୟ !

 

 

ଆଜି ନାହିଁ ସେ ଅର୍ଜୁନ ଭବେ ?

 

 

ନାହିଁ ତା ନିକଟେ

 

 

ସେହି ଶିବଦତ୍ତ ପାଶୁପତ ବାଣ,

 

 

ଗଙ୍ଗାଦତ୍ତ ଭୁଜବାଣ ତୁଲେ ନୀଳବାଣ,

 

 

ଦୁର୍ଭେଦ୍ୟ କବଚ ଆଉ ଦୁର୍ଗାଦତ୍ତ ଅକ୍ଷୟତୂଣୀର ?

 

ଗୀତ

[ଏଡ଼ିକି ନିର୍ଲଜ୍ଜ ଝଟି କପଟୀ ଲମ୍ପଟୀ - ବୃତ୍ତେ]

 

କିପାଁ ହଳୀ କର ହେ କଳି; ନ ବୁଝି ନ ଶୁଝି ତଥ୍ୟବଚନ । ବଳେ ବଳେ ପତିପଣେ ଗତରାତି ଆସି ମୋ କତିରେ କଲା ବରଣ ।ପଦ। ନାହିଁ ଲେଶ ମୋଠାରେ ଦୋଷ । ବେନି ବାର କଲି ନିରାଶ, କେଳା ପରି ଏବେ ଛଳାଇ ଭାଷୁଛ ପଳାଇଲେ କେହି ନ ନେବେ ଜାଣ ।୧। ରଣେ ଯଦି ମାରିବ ମୋତେ । ବଦି ବଦି କହିଲି ଏତେ । ଭଗ୍ନୀ ହୋଇ ରାଣ୍ଡ କୋଡ଼ୁଥିବ ମୁଣ୍ଡ ମିଳି ଦେଖୁଥିବେ ଯାଦବଗଣ ।୨। ନୀଳାମ୍ବର, ହାରିଲେ ଲଢ଼ି । ଲାଜେ ବୁଡ଼ି ମରିବ ସଢ଼ି । ଗୋଡ଼ାଇ ଭଗ୍ନିକୀ ଯାଚିବ ପଉରେ ରଣ କର ବଇଷ୍ଣବ ଜଣାଣ ।୩।

(ଯୁଦ୍ଧ)

 

(ରାମ ପରାସ୍ତ ହୋଇ ଅର୍ଜୁନକୁ ନିଜ ମନ୍ଦିରେ ନେବାର; ଏଣେ ଦୁର୍ଯ୍ୟୋଧନ

ବରବେଶ ହୋଇ ବାହାରିବା ଦେଖି ସହଦେବର ଉକ୍ତି)

[ଆସି ପାହିଗଲା ରାତି - ବୃତ୍ତେ]

 

ରାଜା ଫେର ଫେର ହେ । ବଜାଇ ବାଜା ଯାଉଛ କେଉଁଆଡ଼େ କୁରୁବୀର ।ପଦ। ସାଜିଣ ବରବେଶ-। ହେଉଛ ହସରସ। ତେଣେ ସୁଭଦ୍ରା ଅର୍ଜ୍ଜୁନ ତୁଲେ ହେଲ ବିଭାଘର ।୧। ମିଛରେ ଦୁର୍ଯ୍ୟୋଧନ ! ପାଇବ ଅପମାନ । ନ ମାନିଲେ ମନ ଚାଲ ଦେଖିବ ନେତ୍ରଯୁଗର ।୨। ଚାଲ ଚାଲ ଫେରି ସରବ । ତେଜି ମନୁ ଗରବ । ଶୁଣ ହୁଳହୁଳି ନାଦେ କମ୍ପଇ ଦ୍ୱାରକାପୁର ।୩। ବଇଷ୍ଣବ ରଚନା । ମାନ ମନ୍ତ୍ରୀ-ରଚନା । କି ସୁଖ କାଳେ କି ଦୁଃଖ ଦିଅଇ ଦଇବ ଛାର ।୫।

 

ଦୁର୍ଯ୍ୟୋଧନ

-

ଚାଲ ରଣ କରି ନେବା ସୁଭଦ୍ରାକୁ ଅର୍ଜୁନଠାବରୁ ।

ଭୀଷ୍ମ

-

କାହିଁପାଇଁ କୁରୁପତି ବୃଥା ଆଶା କରୁ ?

ଦୁର୍ଯ୍ୟୋଧନ

-

ଏତେ ରଥୀ ଥାଉଁ କି ସେ ବଳାଇଣ ଯିବ ?

ଭୀଷ୍ମ

-

ଜାଣିନାହୁଁ କେଡ଼େ ଶକ୍ତି ଧରେ ତୃତୀୟ ପାଣ୍ଡବ ?

ଦୁର୍ଯ୍ୟୋଧନ

-

ତା ଯୋଗେ ଭୋଗିଲୁ ଆମ୍ଭେ ବାର ବାର ଲଜ୍ଜା ।

ଭୀଷ୍ମ

-

ଭାନୁମତୀ ସ୍ୱୟମ୍ବରେ ଦେଖିନାହୁଁ ରାଜା ?

ଦୁର୍ଯ୍ୟୋଧନ

-

କେବଳ ମୋର କପାଳେ ହଟହଟା ଅଛି ?

ଭୀଷ୍ମ

-

ବିହି ବିଧାନ କେ ଏଡ଼ିବ ଗାନ୍ଧାରୀର ବତ୍ସି ?

ଦୁର୍ଯ୍ୟୋଧନ

-

ଚାଲ ତେବେ ପଳାଇବା ହସ୍ତିନା ବାହୁଡ଼ି ।

ଭୀଷ୍ମ

-

ଅକାରଣେ କିପାଁ ରଣେ ମରିବା ଦଉଡ଼ି ?

 

(ସମସ୍ତଙ୍କର ପ୍ରସ୍ଥାନ; ଅର୍ଜୁନ ତୁଲେ ସୁଭଦ୍ରାର ବିଭାଘର)

[ଯବନିକା ପତନ]

Image